🔥 TRENDING Jharkhand Government Publishes List of... Jharkhand ambulance services suspended... Virender Sehwag Supports MS Dhoni’s Re... Pakistani Man Disguises as Woman in Au... Manorama News airs Speed News at 9:30 ... Chandrapur Police Bust 54 Organized Cr...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଗିଡ଼ିପାବାଲି ଭୂସ୍ଖଳନ ଦୁଃଖଦ ଘଟଣା: ୧୨ ଦିନ ପରେ ବନ୍ଦ ହେଲା ଉଦ୍ଧାର କାର୍ଯ୍ୟ, ୬ ନିଖୋଜଙ୍କ ମିଳିଲାନି ପତ୍ତା

✍️ Reporter: Deepak Mahapatra 🗓 11 Nov 2026, 01:40 PM 👁 63
Share: 💬 WhatsApp 📘 Facebook 𝕏 Post
ଘୁ.ଉଦୟଗିରି: କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ ଗିଡ଼ିପାବାଲି ଗାଁର ଭୂସ୍ଖଳନ ଘଟଣାକୁ ନେଇ ଏକ ଦୁଃଖଦ ଅଧ୍ୟାୟର ଅନ୍ତ ଘଟିଛି। ଦୀର୍ଘ ୧୨ ଦିନ ଧରି ଚାଲିଥିବା ଉଦ୍ଧାର ଅଭିଯାନକୁ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ବନ୍ଦ କରାଯାଇଛି। ମାଟି ଓ ପଥର ତଳେ ନିଖୋଜ ଥିବା ୬ ଜଣଙ୍କର କୌଣସି ସନ୍ଧାନ ମିଳିନାହିଁ। ନିଖୋଜଙ୍କ ସ୍ମୃତିରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଗତ ଅକ୍ଟୋବର ୨୮ ତାରିଖ ରାତିରେ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗାଁରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଖସି ଗାଁକୁ ପୋତି ଦେଇଥିଲା। ପ୍ରାୟ ୨୦ରୁ ୨୫ ଫୁଟ ଉଚ୍ଚତାର ମାଟି ଓ ପଥର ତଳେ ଅନେକ ଘର ଚାପି ହୋଇଯାଇଥିଲା। ଏହି ଭୟାବହ ଘଟଣାରେ ମୋଟ ୧୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
୭ ମୃତଦେହ ଉଦ୍ଧାର, ୬ ଜଣଙ୍କ ମିଳିଲାନି ପତ୍ତା
ଭୂସ୍ଖଳନ ପରେ ଉଦ୍ଧାରକାରୀ ଦଳ ଅତ୍ୟନ୍ତ କଠିନ ପରିସ୍ଥିତିରେ ଅଭିଯାନ ଆରମ୍ଭ କରିଥିଲେ। ପାହାଡ଼ିଆ ଓ ଦୁର୍ଗମ ରାସ୍ତା ଦେଇ ପ୍ରତିଦିନ ପ୍ରାୟ ୬ କିଲୋମିଟର ଚାଲି ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିଲେ ଉଦ୍ଧାରକାରୀ। ଅନେକ ପ୍ରୟାସ ପରେ ମାଟି ତଳୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ୬ ଜଣଙ୍କର କୌଣସି ଖୋଜଖବର ମିଳିନଥିଲା। ଏହି ଘଟଣାରେ ଗାଁର ୯ଟି ପରିବାରର ୧୩ ଜଣ ଲୋକ ଭୂସ୍ଖଳନରୁ ବର୍ତ୍ତିଯାଇ ଆଶ୍ରୟସ୍ଥଳରେ ରହୁଥିଲେ। ଅନ୍ୟପଟେ ନିଖୋଜଙ୍କୁ ଖୋଜିବା ପାଇଁ ଦୀର୍ଘ ଦିନ ଧରି ଅଭିଯାନ ଜାରି ରହିଥିଲା।
ଗ୍ରାମବାସୀଙ୍କ ଅନୁରୋଧ ପରେ ନିଆଗଲା ନିଷ୍ପତ୍ତି
ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଗିଡ଼ିପାବାଲି ଗାଁର ୧୨ ଜଣ ଗ୍ରାମବାସୀ ଗତ ୭ ତାରିଖରେ ଲିଖିତ ଭାବେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ଆବେଦନପତ୍ରକୁ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ରଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯାଇଥିଲା। ଗ୍ରାମବାସୀଙ୍କ ଅନୁରୋଧ ଓ ପରିସ୍ଥିତିକୁ ବିଚାରକୁ ନେଇ ପ୍ରଶାସନ ଉଦ୍ଧାର ଅଭିଯାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାପାଳ ଆଇଏଏସ୍ ବେଦଭୂଷଣ ଏହି ସୂଚନା ଦେଇଛନ୍ତି।
ବିପନ୍ନ ପରିବାରଙ୍କୁ ମିଳିବ ଘର ଓ ଜମି
ଭୂସ୍ଖଳନରେ ପ୍ରଭାବିତ ପରିବାରଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗ୍ରାମବାସୀଙ୍କ ସହ ଆଲୋଚନା ପରେ ରେଡକ୍ରସ ପାଣ୍ଠିରୁ ପ୍ରାଥମିକ ଆର୍ଥିକ ସହାୟତା ଦିଆଯାଇଛି।ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ୫ଟି ବିପନ୍ନ ପରିବାରକୁ ରାଇକିଆ ବ୍ଲକ ଅଞ୍ଚଳରେ ଜମି ସହିତ ଘର ଯୋଗାଇ ଦିଆଯିବ। ଅନ୍ୟ ପରିବାରଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଭଞ୍ଜନଗର ବ୍ଲକରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଚାଷ ପାଇଁ କ୍ଷତିପୂରଣ ଏବଂ ମୃତକଙ୍କ ପରିବାରକୁ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ନିୟମ ଅନୁଯାୟୀ ଆର୍ଥିକ ସହାୟତା ଦିଆଯିବ।
📲Get App