🔥 TRENDING Drishti IAS Releases Daily Madhya Prad... बिहार में दवा दुकानों पर औषधि नियंत्रण... Sidhu Moosewala’s Father Balkaur Singh... रिम्स जमीन घोटाले में ACB की बड़ी कार्... Congress moves Constitution Protection... Rajasthan Chief Secretary Signs Seoul...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାନବ ଚାଲାଣ ରୋକିବାକୁ ମାଲକାନଗିରିରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

✍️ Reporter: Sukumar Mandal 🗓 11 Nov 2026, 10:36 AM 👁 77
Share: 💬 WhatsApp 📘 Facebook 𝕏 Post

ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଦିଆଗଲା ତାଲିମ, ଶିଶୁ ଓ ମହିଳାଙ୍କ ସୁରକ୍ଷା ଏବଂ ପୁନର୍ବାସ ଉପରେ ଗୁରୁତ୍ୱ

ମାଲକାନଗିରି - ମାନବ ଚାଲାଣ ଭଳି ଏକ ଗୁରୁତର ସାମାଜିକ ଅପରାଧର ନିରାକରଣ ସହ ପୀଡ଼ିତାଙ୍କ ଉଦ୍ଧାର, ସୁରକ୍ଷା ଓ ପୁନର୍ବାସ ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ ଦିନିକିଆ ଜିଲ୍ଲାସ୍ତରୀୟ ମାନବ ଚାଲାଣ ନିରୋଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

ପ୍ରଶିକ୍ଷଣ ଶିବିରରେ ପୋଲିସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ମାନବ ଚାଲାଣର କାରଣ, ପ୍ରକାରଭେଦ, ଶିଶୁ ଓ ମହିଳା ଚାଲାଣ ରୋକିବାର ଉପାୟ, ସନ୍ଦିଗ୍ଧ ଘଟଣା ଚିହ୍ନଟ, ତ୍ୱରିତ ଉଦ୍ଧାର କାର୍ଯ୍ୟ, ଆଇନଗତ ବ୍ୟବସ୍ଥା ଏବଂ ପୀଡ଼ିତାଙ୍କ ଥଇଥାନ ଓ ପୁନର୍ବାସ ସମ୍ପର୍କରେ ବିସ୍ତୃତ ତାଲିମ ଦିଆଯାଇଥିଲା।

ବିଶେଷକରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ସହ ଶିଶୁ ଓ ମହିଳା ଚାଲାଣ ଭଳି ଅପରାଧକୁ ରୋକିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାନବ ଚାଲାଣ ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାର ମୂଳୋତ୍ପାଟନ ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ କୌଣସି ସନ୍ଦିଗ୍ଧ ଘଟଣା ନଜରକୁ ଆସିଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧୁରୀ, ଉପଖଣ୍ଡସ୍ତରୀୟ ସୁରକ୍ଷା ଅଧିକାରୀ ସଭ୍ୟା ମାଝୀ ଏବଂ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ମଣି ମୋହନ ସରକାରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଆଇନଜୀବୀ ସାଗର କୁମାର ପାଣିଗ୍ରାହୀ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର (ଆଇନ) ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ମାନବ ଚାଲାଣ ନିରୋଧ ଦିଗରେ ବିଭିନ୍ନ ବିଭାଗର ଦକ୍ଷତା ବୃଦ୍ଧି ସହ ଏକ ସୁରକ୍ଷିତ ଓ ଶୋଷଣମୁକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଥିଲା।
📲Get App