🔥 TRENDING West Bengal Board Announces HS 3rd Sem... পিয়ালি রাশ ও গ্রামীন মেলা প্রশাসনিক স... Severe Cyclonic Storm Akvan Nears Indi... Tejashwi Yadav Slams Bihar Government... Bihar Law Department Opens 2026 Recrui... Bihar Launches New Police Data Centre,...
20 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ଭୋଟର ତାଲିକା ସଂଶୋଧନ ପାଇଁ କାର୍ଯ୍ୟସୂଚୀ ଘୋଷଣା ୨୧ ଜାନୁଆରୀ ୨୦୨୭ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

✍️ Reporter: Sukumar Mandal 🗓 10 Nov 2026, 08:33 PM 👁 74
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି : ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ଫଟୋ ପରିଚୟପତ୍ର ସଂଯୁକ୍ତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୨୦୨୭ ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଏହି ସଂଶୋଧନ ପ୍ରକ୍ରିୟା କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ସଠିକ୍, ଅଦ୍ୟତନ, ସମାବେଶୀ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା।

ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥାକରଣ ଓ ପୁନର୍ବିନ୍ୟାସ କରାଯିବ। ନଭେମ୍ବର ୩୦ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ନଭେମ୍ବର ୩୦ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଜାନୁଆରୀ ୧୬ ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ ଜାନୁଆରୀ ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋଟରଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ମତଦାନ କେନ୍ଦ୍ରଗୁଡ଼ିକୁ ଅଧିକ ସୁଗମ ଓ ଉପଯୋଗୀ କରାଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ ୧୨୦୦ ଜଣ ଭୋଟର ରହିବାର ସୀମା ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ସ୍ଥଳେ ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ନୂତନ ମତଦାନ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ।

ବିଶେଷକରି ଭୋଟରମାନେ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ଯେପରି ୨ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ ନ କରନ୍ତି କିମ୍ବା କୌଣସି ପ୍ରାକୃତିକ ପ୍ରତିବନ୍ଧକର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଦୁର୍ଗମ ଅଞ୍ଚଳର ଭୋଟରମାନେ ମଧ୍ୟ ସହଜରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ।

ଏହି ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ସହ ଏକ ସଠିକ୍ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଂଶୀଦାର ଓ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
📲Get App