🔥 TRENDING Maharashtra CM Fadnavis Unveils A.R. R... CJP’s Dipke, Das, Ranka to Host Youth... India to Clean Heritage Sites Starting... Five-Century Palace Falls into Neglect... Samaleswari SC Set to Clash with Nagal... MCPCR Holds Consultative Meeting on Ch...
20 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜମି ବିବାଦକୁ ନେଇ ଗୋଇଲିଖାରି ପ୍ରାଥମିକ ବିଦ୍ୟାଳୟରେ ତାଲା, ବାହାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ

✍️ Reporter: Sukumar Mandal 🗓 10 Nov 2026, 08:58 PM 👁 74
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଞ୍ଚାୟତର ଗୋଇଲିଖାରି ପ୍ରାଥମିକ ବିଦ୍ୟାଳୟରେ ଜମି ବିବାଦକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟ ଚାଲୁଥିବା ସମୟରେ ତିନି ଜଣ ଗ୍ରାମବାସୀ ବିଦ୍ୟାଳୟ ଜମି ନିଜ ନିଜ ପଟ୍ଟା ଜମିରେ ଥିବା ଦାବି କରି ସ୍କୁଲରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ରେଲି ପାଙ୍ଗିଙ୍କ କହିବା ଅନୁଯାୟୀ, ଗୋଇଲିଖାରି ଗ୍ରାମର ସୀତାରାମ ପାଙ୍ଗି, ରାମଚନ୍ଦ୍ର ପାଙ୍ଗି ଓ ଭଗବାନ ପାଙ୍ଗି ଆଜି ସକାଳେ ପିଲାମାନଙ୍କର ପାଠପଢ଼ା ଚାଲିଥିବା ସମୟରେ ଶ୍ରେଣୀଗୃହରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାର କରି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପଣସପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ ଓ ସମାଜସେବୀ ଅନନ୍ତ ଶିଶା ବିଦ୍ୟାଳୟକୁ ଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ସେମାନେ କାହାରି କଥା ନଶୁଣି ବିଦ୍ୟାଳୟରେ ତାଲା ପକାଇ ରଖିଥିଲେ।

ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ବାହାରେ ପିଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହୋଇଥିଲେ। ଏପରିକି ତାଲା ପଡ଼ିଥିବାରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଇ ପାରିନଥିବା ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।

ଏହି ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ଶ୍ରୀ ପାଙ୍ଗି ସ୍ଥାନୀୟ ସିଆରସିସିଙ୍କୁ ଅବଗତ କରାଇବା ସହ ଫୋନ୍ ଯୋଗେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ଏହି ବିବାଦର କୌଣସି ସମାଧାନ ହୋଇପାରିନାହିଁ।

ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ଦୀର୍ଘ ବର୍ଷ ଧରି ଏହି ସ୍ଥାନରେ ବିଦ୍ୟାଳୟ ଚାଲିଆସୁଥିବା ବେଳେ ଉକ୍ତ ଜମି ବିଦ୍ୟାଳୟ ନାମରେ ପଟ୍ଟା ରହିଛି। ତେବେ ଜମି ବିବାଦର ପ୍ରକୃତ ସ୍ଥିତି ଯାଞ୍ଚ କରିବା ସହ ତୁରନ୍ତ ସମାଧାନ କରି ବିଦ୍ୟାଳୟରେ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
📲Get App