🔥 TRENDING मनोहर सिंह भाटी ने बताया बेदु कला Allahabad HC Nullifies UP PCS 2025 Pre... ছাতনায় BMOH-এর পদত্যাগের দাবিতে তুমুল... સાબરકાંઠા, હિંમતનગરમાં રૂ.23 કરોડનું બ... Uttar Pradesh Announces ₹8,500 Crore I... সাব্ররুম
27 Nov 2026•
ગુજરાતી मराठी ਪੰਜਾਬੀ বাংলা

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଖୋଲିଲା ଜିଲ୍ଲାର ପ୍ରଥମ 'ନେକ୍ସଟ୍ ଜେନେରେସନ୍' (N-Gen) ଡାକଘର

✍️ Reporter: Abhijit Patra 🗓 27 Nov 2026, 10:21 PM 👁 19
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ବାଲେଶ୍ୱର: ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ଡାକସେବା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାର ପ୍ରଥମ 'ନେକ୍ସଟ୍ ଜେନେରେସନ୍' (N-Gen) ଡାକଘର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବ୍ୟାସବିହାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଆଧୁନିକ ଶୈଳୀରେ ନିର୍ମିତ ଏହି ଡାକଘର ପାରମ୍ପରିକ ଡାକଘରର ଧାରଣାକୁ ବଦଳାଇ ଏକ ନୂଆ ଅନୁଭୂତି ପ୍ରଦାନ କରୁଛି

ବାଲେଶ୍ୱର: ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ଡାକସେବା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାର ପ୍ରଥମ 'ନେକ୍ସଟ୍ ଜେନେରେସନ୍' (N-Gen) ଡାକଘର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବ୍ୟାସବିହାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଆଧୁନିକ ଶୈଳୀରେ ନିର୍ମିତ ଏହି ଡାକଘର ପାରମ୍ପରିକ ଡାକଘରର ଧାରଣାକୁ ବଦଳାଇ ଏକ ନୂଆ ଅନୁଭୂତି ପ୍ରଦାନ କରୁଛି।
କ’ଣ ରହିଛି ସ୍ୱତନ୍ତ୍ର ସୁବିଧା?
ପାରମ୍ପରିକ ଡାକଘରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଶୀତତାପ ନିୟନ୍ତ୍ରିତ (AC) ଡାକଘରେ ମାଗଣା ଓ୍ୱାଇ-ଫାଇ (Wi-Fi), ଗେମିଂ ଜୋନ୍, କାଫେଟେରିଆ ଏବଂ ଏକ ରିଡିଂ କର୍ଣ୍ଣର ବା ପାଠାଗାରର ବ୍ୟବସ୍ଥା କରାଯାଇଛି। ଏଠାରେ ଛାତ୍ରଛାତ୍ରୀମାନେ ଚେସ୍ ଓ କ୍ୟାରମ୍ ଖେଳିବା ସହ ଚା’-କଫିର ମଜା ନେଇପାରିବେ ଏବଂ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ସମେତ ବିଭିନ୍ନ ପୁସ୍ତକ ପଢ଼ିବାର ସୁଯୋଗ ପାଇପାରିବେ।
ଡାକଘର କେବଳ ଚିଠି ଆଦାନପ୍ରଦାନର ସ୍ଥାନ ନୁହେଁ, ଏହି ଧାରଣାକୁ ବଦଳାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆଧୁନିକ ପରିବେଶ ସାଙ୍ଗକୁ ଏଠାରେ ଡିଜିଟାଲ୍ ଡାକସେବା, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (IPPB), ସଞ୍ଚୟ ଯୋଜନା, ଡାକ ବୀମା, ସ୍ପିଡ୍ ପୋଷ୍ଟ ଏବଂ ପାର୍ସଲ ଡେଲିଭରି ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି।
ଛାତ୍ରଛାତ୍ରୀଙ୍କ ଉତ୍ସାହ:
ନୂତନ ଡାକଘରକୁ ଆସୁଥିବା ଛାତ୍ରଛାତ୍ରୀମାନେ ଏହାକୁ ବେଶ୍ ପସନ୍ଦ କରିଛନ୍ତି। ସାଧାରଣ ଡାକଘର ତୁଳନାରେ ଏଠାରେ ସେମାନେ ସିଧାସଳଖ ଡାକ କର୍ମଚାରୀଙ୍କ ସହ ଆଲୋଚନା କରି ନିଜର ସନ୍ଦେହ ଦୂର କରିବା ସହ କାମଗୁଡ଼ିକୁ ଶୀଘ୍ର କରିପାରୁଛନ୍ତି। କାମ ଅପେକ୍ଷାରେ ଥିବା ସମୟରେ ଗେମିଂ ଓ ପୁସ୍ତକ ପଠନ ସୁବିଧା ସେମାନଙ୍କ ସମୟକୁ ସଦୁପଯୋଗ କରିବାରେ ସହାୟକ ହେଉଛି। ଜଣେ ଛାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଏହା ବହୁତ ଭଲ ହୋଇଛି। ଆମେ ଏଠାରେ ବସି ପଢ଼ିପାରୁଛୁ, ଖେଳିପାରୁଛୁ ଏବଂ ମନୋରଞ୍ଜନ କରିପାରୁଛୁ। ଏଠାରେ ଆଦୌ ବୋର୍ ଲାଗୁନାହିଁ, ଏହା ସମୟ ବିତାଇବା ପାଇଁ ଏକ ବଢ଼ିଆ ସ୍ଥାନ।"
ଆଧୁନିକ ସୁବିଧା ସହ ଡିଜିଟାଲ୍ ସେବା:
ଡାକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକସେବା ସହ ମନୋରଞ୍ଜନର ସୁବିଧାକୁ ଯୋଡ଼ି ଏହି ଏନ୍-ଜେନ୍ ଡାକଘର ପ୍ରସ୍ତୁତ କରାଯାଇଛି। ଏଠାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ଆଙ୍ଗୁଠି ଛାପ (ବାୟୋମେଟ୍ରିକ୍) ଦେଇ ଟଙ୍କା ଉଠାଇପାରିବେ। ଏହାବ୍ୟତୀତ ଡାକଘର କାନ୍ଥରେ ବ୍ୟାସକବି ଫକୀର ମୋହନଙ୍କ ଜନ୍ମସ୍ଥାନ ଏବଂ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଭଳି ସ୍ଥାନୀୟ ଐତିହ୍ୟ ଓ ଆକର୍ଷଣୀୟ ସ୍ଥାନଗୁଡ଼ିକର ରଙ୍ଗୀନ ଚିତ୍ରକଳା ସ୍ଥାନ ପାଇଛି।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୫ ତାରିଖରେ ଡାକ ବିଭାଗର ନିର୍ଦ୍ଦେଶକ ଏ. କୋରା ଗୋପ୍ପା ଏହି ଡାକଘରକୁ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବଂ ଡାକ ଅଧୀକ୍ଷକ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
📲Get App