🔥 TRENDING GTA 6 Radio Adds Hindi Cover of George... Singer Neha Jetley Releases Debut Sing... Shaina NC’s Photo‑Tearing Sparks Shiv... Gondia Police Resolve Air Hostess Vars... Maharashtra milk retailers plan strike... Uttar Pradesh IPS officer reinstated a...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

କାମ ନୁହେଁ, ଅଫିସରେ ଦେଖାଣିଆପଣକୁ ଅଧିକ ଗୁରୁତ୍ୱ; ୫ ଘଣ୍ଟାରେ ସାରିଲେ ଦୋଷ, ୯ ଘଣ୍ଟା ବସିଲେ ପ୍ରଶଂସା, କର୍ପୋରେଟ୍ କଲ୍‌ଚର୍‌କୁ ନେଇ CEOଙ୍କ ବଡ଼ ଖୁଲାସା

✍️ Reporter: Deepak Mahapatra 🗓 20 Nov 2026, 02:26 PM 👁 20
Share: 💬 WhatsApp 📘 Facebook 𝕏 Post
ଅଫିସରେ କିଏ କେତେ କାମ କରୁଛି, ତାହାଠାରୁ କିଏ କେତେ ସମୟ ଚେୟାରରେ ବସି ରହୁଛି, ତାହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି କି? ଆଜିର କର୍ପୋରେଟ୍ ଦୁନିଆର ଏହି କଡ଼ା ସତ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଗୁରୁଗ୍ରାମର ଷ୍ଟାର୍ଟଅପ୍ 'Knot Dating'ର CEO ଜସବୀର ସିଂହ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଅଫିସ୍ କଲ୍‌ଚର୍‌ର ଏଭଳି ଚିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି।

ତାଙ୍କ ମତରେ, ଭାରତର ଅନେକ କର୍ପୋରେଟ୍ ଅଫିସରେ ପ୍ରକୃତ କାମ ଅପେକ୍ଷା ବ୍ୟସ୍ତ ଥିବାର ଦେଖାଇବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଯାହାର ପ୍ରଭାବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ଉତ୍ପାଦକତା ଉପରେ ପଡ଼ୁଛି।

ଅଫିସରେ ୧୦ ଘଣ୍ଟା, କିନ୍ତୁ କାମ କେତେ?

ଜସବୀରଙ୍କ କହିବା ଅନୁସାରେ, ଆମ ଦେଶରେ ଦୀର୍ଘ ସମୟ କାମ କରିବାର ସଂସ୍କୃତି ଅପେକ୍ଷା ଦୀର୍ଘ ସମୟ ଅଫିସରେ ବସି ରହିବାର ସଂସ୍କୃତି ଅଧିକ ଦେଖାଯାଉଛି।

ସକାଳୁ ଅଫିସ୍ ଆସିବା ପରେ ଲାପଟପ୍ ଖୋଲା ରହୁଛି, କ୍ୟାଲେଣ୍ଡର ମିଟିଂରେ ଭରି ରହୁଛି। ମଝିରେ ଚା' ବ୍ରେକ୍, ଲମ୍ବା ଲଞ୍ଚ ଓ ଅନ୍ୟାନ୍ୟ ବିରତି ଚାଲୁଛି। ସନ୍ଧ୍ୟା ହେଲେ ସମସ୍ତେ କହୁଛନ୍ତି ଆଜି ବହୁତ ବ୍ୟସ୍ତ ଥିଲୁ। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି, ଦିନ ସାରାରେ ଠୋସ୍ କାମ କେତେ ହେଲା?

ବସ୍ ଅଫିସରେ ଥିଲେ ଘରକୁ ଯିବାକୁ ଡର

ଅଫିସ୍‌ର ଆଉ ଏକ ମାନସିକତାକୁ ନେଇ ଜସବୀର ପ୍ରଶ୍ନ ଉଠାଇଛନ୍ତି। ଅନେକ କର୍ମଚାରୀ ନିଜ କାମ ଶେଷ କରିଦେବା ପରେ ମଧ୍ୟ ଘରକୁ ଯାଆନ୍ତି ନାହିଁ। କାରଣ ବସ୍ ଏବେ ବି ଅଫିସରେ ବସିଛନ୍ତି।

ଯଦି ବସ୍ ରାତି ୯ଟା ପର୍ଯ୍ୟନ୍ତ ଅଫିସରେ ରହୁଛନ୍ତି, ତେବେ କର୍ମଚାରୀମାନେ ସନ୍ଧ୍ୟା ୭ଟାରେ ଘରକୁ ଯିବାକୁ ମଧ୍ୟ ସଙ୍କୋଚ କରୁଛନ୍ତି। କିନ୍ତୁ ବସ୍ ଯେତେବେଳେ ବ୍ୟାଗ୍ ଉଠାଉଛନ୍ତି, ସମସ୍ତଙ୍କର ହଠାତ୍ ଘରକୁ ଯିବା ମନେ ପଡ଼ିଯାଉଛି। ଏହାକୁ ପ୍ରକୃତ ଉତ୍ପାଦକତା ନୁହେଁ, ବରଂ ବ୍ୟସ୍ତ ଥିବାର ଏକ ଅଭିନୟ ବୋଲି ସେ କହିଛନ୍ତି।

୫ ଘଣ୍ଟାରେ କାମ କଲେ ଦଣ୍ଡ, ୯ ଘଣ୍ଟା ବସିଲେ ମିଳୁଛି ପ୍ରଶଂସା

ନିଜ ମତକୁ ବୁଝାଇବା ପାଇଁ ଜସବୀର ଦୁଇ ଜଣ କର୍ମଚାରୀଙ୍କ ଉଦାହରଣ ଦେଇଛନ୍ତି।

ପ୍ରଥମ କର୍ମଚାରୀ ଗୋଟିଏ କାମକୁ ମାତ୍ର ୫ ଘଣ୍ଟାରେ ଶେଷ କରୁଛନ୍ତି।

ଦ୍ୱିତୀୟ କର୍ମଚାରୀ ସେହି କାମ ପାଇଁ ୯ ଘଣ୍ଟା ସମୟ ନେଉଛନ୍ତି।

ଉଭୟଙ୍କ କାମର ଫଳାଫଳ ସମାନ ହୋଇଥିଲେ ମଧ୍ୟ ଅଫିସରେ ୯ ଘଣ୍ଟା ବସିଥିବା କର୍ମଚାରୀଙ୍କୁ ଅଧିକ ପରିଶ୍ରମୀ ବୋଲି ବିବେଚନା କରାଯାଉଛି। ଅନ୍ୟପକ୍ଷରେ କମ୍ ସମୟରେ କାମ ଶେଷ କରିଥିବା କର୍ମଚାରୀଙ୍କୁ ଅଧିକ ସମୟ ଅଫିସରେ ରହିବାକୁ ପରୋକ୍ଷରେ ବାଧ୍ୟ କରାଯାଉଛି। ଏଭଳି ବ୍ୟବସ୍ଥା ଦ୍ୱାରା ଦକ୍ଷ କର୍ମଚାରୀଙ୍କ ଉତ୍ସାହ କମିବା ସହ ବ୍ୟସ୍ତ ଥିବାର ଅଭିନୟକୁ ଅଧିକ ପ୍ରୋତ୍ସାହନ ମିଳୁଛି ବୋଲି ତାଙ୍କ ମତ ରଖିଛନ୍ତି।

ସୋସିଆଲ୍ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଚା

ଜସବୀରଙ୍କ ଏହି ମତକୁ ନେଇ ସୋସିଆଲ୍ ମିଡିଆରେ ଅନେକ ୟୁଜର୍ ନିଜ ଅନୁଭୂତି ବାଣ୍ଟିଛନ୍ତି। କିଛି ୟୁଜର୍ କହିଛନ୍ତି, ଅଫିସର ଅଧା ମିଟିଂ କେବଳ ପରବର୍ତ୍ତୀ ମିଟିଂର ସମୟ ଧାର୍ଯ୍ୟ କରିବାରେ ଶେଷ ହୋଇଯାଏ।

ଆଉ କିଛି ଲୋକଙ୍କ ମତରେ, କର୍ମଚାରୀ କେତେ ଘଣ୍ଟା ଅଫିସରେ ରହିଲେ ତାହା ଅପେକ୍ଷା ତାଙ୍କୁ ଦିଆଯାଇଥିବା ଦାୟିତ୍ୱ କେତେ ଭଲ ଭାବେ ପୂରଣ କଲେ, ତାହାକୁ ଗୁରୁତ୍ୱ ମିଳିବା ଦରକାର।

ଶେଷରେ ପ୍ରଶ୍ନ ଗୋଟିଏ: କାମ ଗୁରୁତ୍ୱପୂର୍ଣ୍ଣ ନା ଦେଖାଣିଆ ବ୍ୟସ୍ତତା?

କର୍ପୋରେଟ୍ ଦୁନିଆରେ ପ୍ରକୃତ ଦକ୍ଷତାର ମାପକାଠି କ'ଣ ହେବା ଉଚିତ? ଅଫିସରେ ବିତାଇଥିବା ଘଣ୍ଟା ନା ନିର୍ଦ୍ଧାରିତ ସମୟରେ ହାସଲ କରିଥିବା ଫଳାଫଳ? ଜସବୀରଙ୍କ ମତ ଏହି ଆଲୋଚନାକୁ ନୂଆ ଦିଗ ଦେଇଛି। କମ୍ପାନୀଗୁଡ଼ିକ ଯଦି କର୍ମଚାରୀଙ୍କ ସମୟ ବଦଳରେ କାମର ଗୁଣବତ୍ତା, ଦାୟିତ୍ୱବୋଧ ଓ ଫଳାଫଳକୁ ଗୁରୁତ୍ୱ ଦିଅନ୍ତି, ତେବେ ହିଁ ପ୍ରକୃତ କାର୍ଯ୍ୟଦକ୍ଷତା ବଢ଼ିପାରିବ।
📲Get App